ବିଶ୍ୱ ପରିବେଶ ଦିବସ || Biswa Paribesh Dibasa || World Environment Day In Odia || Paribesh Dibash Essay In Odia || Fun Odia Fun

ବିଶ୍ୱ ପରିବେଶ ଦିବସ

ବିଶ୍ୱ ପରିବେଶ ଦିବସ କହିଲେ ସମଗ୍ର ବିଶ୍ୱରେ ବିଦ୍ୟମାନ ସଜୀଵ ଓ ନିର୍ଜୀବ ସମୁଦାୟ ର ସକ୍ରିୟ ସହଭାଗିତା ର ମନୋରମ ପ୍ରତିଛବି | ଏହାର ମୁଖ୍ୟ ନାୟକ ହେଉଛି - ମଣିଷ | ଯିଏ ପରିବେଶ କୁ ଦେଖି ଆନନ୍ଦ ଉପଲବ୍ଧ କରେ , ଜ୍ଞାନ ଆହରଣ କରେ , ଜୀବନ ଜିଇଁବାର କଳା ମାଖେ , ଆଉ ସେହି ସ୍ବର୍ଗୀୟ ପରିବେଶ କୁ ସଂକୀର୍ଣ୍ଣ ସ୍ୱାର୍ଥ ର ତେଲ କଡେଇରେ ପକେଇ ନର୍କ ଯନ୍ତ୍ରଣା ଦେଇଥାଏ | ଯାହାର ପରିଣତ ସ୍ୱରୂପ ଆମକୁ ବିଶ୍ୱ ଜାତିସଙ୍ଘ ପକ୍ଷ ରୁ ପ୍ରତିବର୍ଷ ଜୁନ 5 ତାରିଖ କୁ ' ବିଶ୍ୱ ପରିବେଶ ଦିବସ ' ଭାବେ ପାଳନ ପାଇଁ ଆହ୍ୱାନ କରାଗଲା | ଆଜିର ପରିବେଶ ସମ୍ପୂର୍ଣ ଜରାଜୀର୍ଣ୍ଣ | ଜଣେ ଅଧେ ନୁହେଁ ସମସ୍ତ ବିଶ୍ୱବାସୀ ସେହି ଅସନ୍ତୁଳିତ ପରିବେଶ ର ପ୍ରଭାବ ରେ ଶାରୀରିକ ବ୍ୟାଧିଗ୍ରସ୍ତ | ଏଠି ଅନେକ ପ୍ରଜାତି ର ପଶୁପକ୍ଷୀ ସମ୍ପୂର୍ଣ ଲୁପ୍ତ ହୋଇଗଲେଣି | ଅନେକ ବିଲୁପ୍ତର ଦ୍ୱାର ଦେଶରେ | ଜୀବଜନ୍ତୁ ଜୀବନ ପ୍ରଦାନ କରୁଥିବା କ୍ଷିତି , ଆପ ,ତେଜ , ମରୁତ , ବ୍ୟୋମ ଅର୍ଥାତ ମାଟି ,ପାଣି ,ପବନ ,ଆଲୋକ  ଓ ଆକାଶ ପ୍ରଦୂଷଣ ଜନିତ ବ୍ୟାଧିଗ୍ରସ୍ତ | ବିଶ୍ୱର 12 ଟି ସହରରେ ବାୟୁ ର ପ୍ରଦୂଷଣ ମାତ୍ରା ସର୍ବାଧିକ | ପବନ ଲାଗି ଜୀବନ | ପବନରେ ଏମିତି ଜହର ମିଶିଛି ଯେ ନାକରେ ମ୍ୟାକ୍ସ ନଦେଲେ ନଚଳେ | ସ୍ୱାସ୍ଥ୍ୟ ବିଜ୍ଞାନ ପତ୍ରିକା 'ଲାନସେଟ ପ୍ଲାନେଟାରି ହେଲଥ ' ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଗତ 2017 ରେ ଦେଶରେ ବାୟୁ ପ୍ରଦୂଷଣ 12 ଲକ୍ଷ 40 ହଜାର ଜୀବନ ନେଇଥିଲା | ମାଟିର ଅନ୍ୟ ନାମ ମାଆ | ମା ତାରି ପଣତ କାନି ରେ ଘୋଡେଇ ରଖିଥିଲା ଆମକୁ |  ଆମେ ମଣିଷ ଚିରିଦେଲେ ତା ମୁଣ୍ଡ ଉପରୁ ସବୁଜିମା ର ପଣତ କାନି କୁ | ସେ ତ ନିଜେ ଅସହାୟ | ସାର, କୀଟନାଶକ , ଔଷଧ , ଡିନାମାଇଟ ବିସ୍ପୋରଣ ରେ ଅଣନିଶ୍ୱାସୀ ମାଟି | ଆଉ ତା କୋଳ ରେ ଜିଆମାନେ ବି ଦିଶୁନାହାନ୍ତି | ମଣିଷ କୁ ସେ କଣ ସାହାରା ଦେବ | 

ସମଗ୍ର ପୃଥିବୀ ର ତିନି ଭାଗ ଜଳରାଶି ହୋଇମଧ୍ୟ ସେ କେବେବି ଗର୍ବ ରେ ସୀମା ଲଂଘୁ ନଥିଲା | ଓଲଟି ମାଟି ଉପରେ ଛୋଟ ଛୋଟ ଲହଡି ଖେଳେଇ ମୁଣ୍ଡ ପିଟି କହୁଥିଲା , " ମାଆ , ତୋ ସନ୍ତାନ ପାଳିବା ପାଇଁ ମୁ ଯଶୋଦା ହେବି | ଆଜି ପାଣିର ପ୍ରାଣ ସଙ୍କଟାପନ୍ନ | କଳକାରଖାନା ର ବର୍ଜ୍ୟ ବସ୍ତୁ ସହରରେ ,ନାଳନର୍ଦମା ପାଣି ମିଶି ଗଙ୍ଗା ବି ଅପବିତ୍ର | ମିଶୁପାରୁନି ସାଗର ସହିତ | ବାଟ ଓଗାଳି ଠିଆ ହୋଇଛି ଶିଳ୍ପ ସାମ୍ରାଜ୍ୟ , ଆଧୁନିକ ସହର |

ଆକାଶ ଦିନେ ଶୂନ୍ୟ ର ଦୋଳି ରେ ଝୁଲୁ ଥିଲା | ମଣିଷ କୁ ଓଜନ ସ୍ତର ଘୋଡେଇ ସୁନ୍ଦର ଜୀବନ ଜିଇଁବାକୁ ବାଧ୍ୟ କରୁଥିଲା | ହେଲେ ମହାକାଶ ଯାତ୍ରା ଓ ସାଟେଲାଇଟ ରୁ ନିର୍ଗତ ଆବର୍ଜନା ରେ ସେ ବି ଆକଣ୍ଠ ବିଷ ପାନ କରୁଛି | ଆକାଶ ଛାତି ରେ ବହୁତଳ ବିଶିଷ୍ଟ କୋଠା ,ଟାୱାର କଂଟା ଅନବରତ ଯନ୍ତ୍ରଣା ଦେଉଛି |

ସବୁ ଜୀବନ ର ମୂଳପିଣ୍ଡ ସୂର୍ଯ୍ୟାଲୋକ | ହେଲେ ମୂଳପିଣ୍ଡ ର ପିଣ୍ଡ ସବୁଜ ଜଙ୍ଗଲ ଶତକଡା 28 ରୁ ବର୍ତମାନ ଶତକଡା 22 ଭାଗକୁ ଖସି ଆସିଲାଣି | ବର୍ତମାନ ଆମ ପାଇଁ ସୁରକ୍ଷାଦାତା ସାଜିଥିବା ସବୁଜିମା ସତ୍ତା ହରେଇ ବସିଲାଣି | ଗତ 03/05/2019 ରେ ଭୟଙ୍କର ସାମୁଦ୍ରିକ ଝଡ ଫନି ମାଡ଼ ରେ ଦୀର୍ଘ 450 କିମି ଉପକୂଳ ଓଡିଶା ର ଲୁଣା ଜଙ୍ଗଲ ଧ୍ବଂସ ହୋଇଯାଇଛି | ଉପକୂଳ ଜିଲ୍ଲା ରେ ସମସ୍ତ ବୃକ୍ଷ ଧରାଶାୟୀ ହୋଇଛି | ମାତ୍ର ପ୍ରକୃତି ର ମହାନ ଦାନ ତାଳଗଛ ଗୁଡିକର କୌଣସି କ୍ଷତି ହୋଇନଥିବା ଜଣାଯାଏ | ସେଗୁଡିକର ବାତ୍ୟା ସହନଶକ୍ତି ଥିବା ବେଳେ ସରକାର ତାଳଗଛ ଲଗାଇବା ଉପରେ ସେତେଟା ଗୁରୁତ୍ୱ ଦେଉନାହାନ୍ତି କି କୌଣସି ନିଷ୍ପତି ବି ନେଇଥିବା ପରି ଜଣାଯାଉନାହିଁ | 

ଆଧୁନିକତା ର ଦୌଡ ରେ ଯୋଜନାବିହୀନ ଶିଳ୍ପାୟନ , କୃଷି , ଉତ୍ପାଦନ ବୃଦ୍ଧି ଲାଗି କୃତିମ ସାର ଓ କୀଟନାଶକ ଔଷଧ ର ଅବିଚାରିତ ବ୍ୟବହାର , ଗଣବିଧ୍ୱଂସି ପରମାଣୁ ବୋମା ଆକଳନ ଯାନବାହାନ , ରାସାୟନିକ ପଦାର୍ଥ , ରଙ୍ଗ , ଶିଳ୍ପ  କାରଖାନା ର ବିଷାକ୍ତ ଧୂଆଁ ଓ ପ୍ରଦୂଷିତ ବର୍ଜ୍ୟବସ୍ତୁ ଆଦି ପରିବେଶ କୁ ଦୂଷିତ କରୁଛି |

ପ୍ରତ୍ୟକ ବ୍ୟକ୍ତି ପ୍ରାକୃତିକ ସମ୍ପଦ ର ସୁରକ୍ଷା ପାଇଁ ଜଣେ ଜଣେ ସୈନିକ ଭାବେ କାମ କରିବା ଉଚିତ | ଯେମିତି ଆମର ପରିବେଶ ଓ ସାମାଜିକ କର୍ମୀ ସୁନ୍ଦରଲାଲ ବହୁଗୁଣା ଙ୍କ ' ଚିପକୋ ଆନ୍ଦୋଳନ ', ମେଧା ପାଟକର ଙ୍କ ନର୍ମଦା ବଞ୍ଚାଅ ଆନ୍ଦୋଳନ , ବାଙ୍କବିହାରୀ ଦାସ ଙ୍କ ଚିଲିକା ବଂଚାଓ ଅଭିଯାନ , ଓଡିଶା ବାୟା ଚଢେଇ ସୁରକ୍ଷା ଅଭିଯାନ , ରାଜସ୍ଥାନ ରେ ଜଳପୁରୁଷ ଭଳି ,ଓଡିଶା ସରକାର ଙ୍କ ମହାନଦୀ ବଂଚାଓ ଅଭିଯାନ ଚାଲିଛି , ସେମିତି ଆମେ ସମସ୍ତେ ପରିବେଶ ପ୍ରାଣ ହୋଇଉଠିବା | ଭାରତର ସମସ୍ତ ନାଗରିକ ଙ୍କୁ ଅନୁରୋଧ ଆଜି ସେହି ବେଳା ଉପସ୍ଥିତ | ଜୀବନ ପାଇଁ ଜୀବିକା ଯେତିକି ଗୁରୁତ୍ୱପୂର୍ଣ ସେତିକି ଗୁରୁତ୍ୱପୂର୍ଣ ସୁସ୍ଥ ପରିବେଶ | ପରିବେଶ ନଷ୍ଟ ହୋଇ ଅସନ୍ତୁଳନ ଦେଖା ଦେଲେ ଆମକୁ ଭୂମିକମ୍ପ , ସାମୁଦ୍ରିକ ଝଡ , ବାତ୍ୟା , ମରୁଡି ଆଦି ର ସମୁଖୀନ ହେବାକୁ ପଡୁଛି ଓ  ପଡିବ ମଧ୍ୟ | ଜନସଂଖ୍ୟା ବୃଦ୍ଧି ପରିବେଶ ଧ୍ବଂସ ର ପ୍ରଥମ ଓ ପ୍ରଧାନ କାରଣ ହୋଇଛି | ଏହାକୁ ରୋକିବା ଦିଗରେ ମଣିଷ ସମାଜ ଦୃଢ ସଚେତନ ହେବା ସହ ଉପଯୁକ୍ତ ପଦକ୍ଷେପ ନେବା ଜରୁରୀ ହୋଇପଡିଛି | 

କୌଣସି ବିବାହ ,ବ୍ରତ ,ଜନ୍ମ ଦିନ ,ଶ୍ରାଦ୍ଧବାର୍ଷିକ ଆଦି ସାମାଜିକ କାର୍ଯ୍ୟ ରେ ଅତି କମ ରେ 10 ଟି ବୃକ୍ଷରୋପଣ କରାଇବାର ପରମ୍ପରା ସୃଷ୍ଟି କରିବାକୁ ହେବ | ତାହାଲେ ଯାଇ ଆଗାମୀ ବଂଶଧର ଏକ ସୁସ୍ଥ ପୃଥିବୀ ର ସ୍ବପ୍ନ ଦେଖିବା ସହଜ ହେବ | ଆଜି ସରକାରୀ ସ୍ତରରେ ବୃକ୍ଷଲତା , ପଶୁପକ୍ଷୀ ଙ୍କ ସଂରକ୍ଷଣ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉନାହିଁ | କାଗଜ ,କଲମରେ ଏଭଳି କାର୍ଯ୍ୟ ର କଳେବର ବୃଦ୍ଧି ପାଉଥିବା ବେଳେ ବାସ୍ତବ କ୍ଷେତ୍ରରେ ସେତେଟା ଦେଖିବାକୁ ମିଳୁ ନାହିଁ | କାଳଜୟୀ କବି ଡ଼. ମାୟାଧର ମାନସିଂହ ଙ୍କ ଭାଷା ରେ - " ରୋପିଲା ଲତା ଦିଏ କୁସୁମ ଗନ୍ଧ , କୁଟୀର ବାତାୟନେ ରହିଛି ଛନ୍ଦ | ରୋପିଲା ବୃକ୍ଷ ଦିଏ ଛାୟା ଶୀତଳ | ଋତୁ ରେ ଅଣ୍ଟି ଭରି ଢାଳଇ ଫଳ | ପାଳିଲି ପଶୁ ଏକ ମୂକ ସେ ପ୍ରାଣୀ | ଶୁଝଇ ସ୍ନେହ ମୋର ହୃଦୟ  ଜାଣି | ପାଳିଲି ନର ଏକ ପରମ ସ୍ନେହେ | ଗଲା ସେ ପଦାଘାତ ଦେଇ ଏ ଦେହେ |

Post a Comment

0 Comments